ସହଭାଗିତା ନିମନ୍ତେ ବାଇବଲ ଅନୁଯାୟୀ ବିବାହ ଅଟେ :
“ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା’’ (ଆଦିପୁସ୍ତକ ୨:୧୮) ।
ଯେପରି ପିତା ଈଶ୍ୱର, ପୁତ୍ର ଏବଂ ପବିତ୍ର ଆତ୍ମା ସହଭାଗିତାରେ ଅଛନ୍ତି, ସେପରି ଈଶ୍ୱର ଆମକୁ ସାମାଜିକ ହେବା ପାଇଁ ଡିଜାଇନ୍ କରିଛନ୍ତି । ବାର୍ତ୍ତାଳାପ କରିବା ପାଇଁ ଆମେ ସୃଷ୍ଟି ହୋଇଅଛୁ । ଆମେ ଅନ୍ତରଙ୍ଗତା ଏବଂ ସହଭାଗିତା ପାଇଁ ସୃଷ୍ଟି ହୋଇଥିଲୁ । ଈଶ୍ୱର କହିଲେ, ଏକାକୀ ରହିବା ଭଲ ନୁହେଁ ।
ଆଦିପୁସ୍ତକର ଘଟଣାଗୁଡ଼ିକ ବିବରଣୀ ବିବାହର ମର୍ଯ୍ୟାଦା ପ୍ରଦାନ କରେ । ସଦାପ୍ରଭୁ ମନୁଷ୍ୟଠାରୁ ଏକ ପଞ୍ଜରା ନେଲେ ଏବଂ ତହିଁରୁ ଏକ ସୁନ୍ଦର ସ୍ତ୍ରୀ ସୃଷ୍ଟି କଲେ, ଏକ ବ୍ୟକ୍ତି ଈଶ୍ୱରଙ୍କ ପ୍ରତିମୂର୍ତ୍ତି ସଦୃଶ ସୃଷ୍ଟ, ସମାନ ଗୁଣ, କିନ୍ତୁ ଭିନ୍ନ ଡିଜାଇନ୍ରେ, ଯିଏ ମନୁଷ୍ୟକୁ ସମ୍ପୂର୍ଣ୍ଣ କଲେ । ସେ “ସ୍ରଷ୍ଟାଙ୍କ ଶେଷ ଏବଂ ସବୁଠାରୁ ସିଦ୍ଧ କୃତି ଭାବରେ ପୁରୁଷଙ୍କ ପ୍ରତି ବିଶେଷ ସମ୍ମାନର ସହିତ ଅଣାଯାଆନ୍ତି’’ । [1]
ବିବାହ ଏକ ଆନନ୍ଦଦାୟକ ମିଳନ ହେବା ଉଚିତ ।
ଯେତେବେଳେ ଆଦମ କହିଲେ, “ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ’’ (ଆଦିପୁସ୍ତକ ୨:୨୩) । ସେ ସମ୍ମାନ ଏବଂ ଆନନ୍ଦ ପ୍ରକାଶ କରୁଥିଲେ । ଆଦମ କହିଲେ, ନାହିଁ ଯେ, “ଶେଷରେ, ଏବେ ମୋର ଜଣେ ଦାସୀ ହେଲା ଯିଏ ମୋର ପୋଷାକ ସଫା କରିବ, ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରିବ, ମୋର ପିଠି ଘସି ଦେବ ଏବଂ ମୋର କାମ କରିବ !’’ ନା, ଆଦମ କହିଲେ, “ଏକ ସାହାଯ୍ୟକାରିଣୀ ଯିଏ ମୋତେ ସମ୍ପୂର୍ଣ୍ଣ କରେ’’ ।
ବିବାହ ହେଉଛି ସମାନତାର ଏକ ମିଳନ
“... ତାହାର ଅନୁରୂପ ସହକାରିଣୀ (ଆଦିପୁସ୍ତକ ୨:୧୮) ଈଶ୍ୱର ନାରୀକୁ ପୁରୁଷ ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଇବା ପାଇଁ ଏବଂ ସମ୍ପୂର୍ଣ୍ଣ କରିବା ପାଇଁ ଡିଜାଇନ୍ କରିଥିଲେ ।
ମାଥିଉ ହେନେରୀ ଆମକୁ ସ୍ମରଣ କରାଇ ଦିଅନ୍ତି, “ଆଦମଙ୍କର ପଞ୍ଜରାରୁ ନାରୀକୁ ସୃଷ୍ଟି କରାଗଲା, ତାଙ୍କ ମସ୍ତକରୁ ନୁହେଁ ଯେ ତାଙ୍କ ଉପରେ ରାଜତ୍ୱ କରିବେ, ତାଙ୍କ ପାଦରୁ ନୁହେଁ ଯେ, ତାଙ୍କୁ ପାଦ ତଳେ ଦଳିତ ହେବେ, ମାତ୍ର ତାଙ୍କର ବକ୍ଷ ଦେଶରୁ ନିଆଗଲା ଯେପରି ଦୁହେଁ ସମାନ ହେବେ, ଆଦମଙ୍କର ବାହୁତଳେ ଯେପରି ସେ ସୁରକ୍ଷିତ ହେବେ ଏବଂ ତାହାଙ୍କ ହୃଦୟ ନିକଟରୁ ଯେପରି ସେ ପ୍ରେମ ପାଇବେ । [2] ନାରୀ ପୁରୁଷଠାରୁ ନିକୃଷ୍ଟ କିମ୍ବା ଶ୍ରେଷ୍ଠ ନ ଥିଲା, ବରଂ ତାଙ୍କ ସହିତ ତୁଳନୀୟ ଥିଲା ।
ବିବାହ ଏକ ଚୁକ୍ତିନାମା ହେବା ଉଚିତ
“ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ’’ (ଆଦିପୁସ୍ତକ ୨:୨୪) । ଦୃଢ଼ ବିବାହ ରୋମାନ୍ସ ଉପରେ ନିର୍ଭର କରେ ନାହିଁ (ରୋମାଣ୍ଟିକ୍ ଅନୁଭବ ଆସିବ ଏବଂ ଯିବ) କିମ୍ବା ଆନନ୍ଦ (ଯଦିଓ ସୁସ୍ଥ ବିବାହ ଆନନ୍ଦ ଆଣିଦିଏ) । କିମ୍ବା ବ୍ୟକ୍ତିଗତ ସିଦ୍ଧି (ଯଦିଓ ଦୃଢ଼ ବିବାହ ପ୍ରକୃତରେ ପରିପୂର୍ଣ୍ଣ ଅଟେ) । ବିବାହର ଆଶ୍ଚର୍ଯ୍ୟଜନକ ଲାଭ ଏକ ଦୃଢ଼ ବିବାହର କାରଣ ହୁଏ ନାହିଁ । ଏହା ଏକ ଦୃଢ଼ ବିବାହର ଫଳାଫଳ ଅଟେ । ବିବାହ ଚୁକ୍ତିର ଅଟଳ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ - ଜଣେ ପୁରୁଷ ଏବଂ ଜଣେ ନାରୀ ଜୀବନ ପାଇଁ ପରସ୍ପର ପ୍ରତି ସମ୍ପୂର୍ଣ୍ଣ ଭାବରେ ପ୍ରତିବଦ୍ଧ ।
ବିବାହ ଏକ ସଚ୍ଚୋଟ, ବିଶ୍ୱାସ୍ୟ, ଗ୍ରହଣୀୟ ସମ୍ପର୍କ ହେବା ଉଚିତ ଅଟେ - “ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା’’ (ଆଦିପୁସ୍ତକ ୨:୨୫) । ଯେହେତୁ ପାପ ଏପର୍ଯ୍ୟନ୍ତ ପ୍ରଥମ ଦମ୍ପତ୍ତିଙ୍କ ନିର୍ଦ୍ଦୋଷତାକୁ କଳୁଷିତ କରି ନ ଥିଲା, ସେମାନଙ୍କର ବିବାହ ବିଚାର ବିହୀନ, ଲଜ୍ଜା ବିହୀନ ଏବଂ ଭୟ ବିହୀନ ହୋଇଥିଲା । ନୂତନ ନୀୟମ ଆମକୁ କହେ, “ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ’’ (ଏବ୍ରୀ ୧୩:୪) ।
ଯେଉଁଠାରେ ଅସୁରକ୍ଷିତ, ଅବିଶ୍ୱାସ, ସନ୍ଦେହ କିମ୍ବା ଭୟ ଥାଏ, ଯେଉଁଠାରେ ପତି-ପତ୍ନୀ ପରସ୍ପରର ବିବାହ ପ୍ରତିବଦ୍ଧତା ବିଷୟରେ ନିଶ୍ଚିତ ନୁହନ୍ତି, ସେଠାରେ ଏକ ଦୃଢ଼ ବିବାହ ତିଷ୍ଟି ପାରେ ନାହିଁ । ଦୃଢ଼ ବିବାହ ପାଇଁ ଏକ ଦୃଢ଼ ପ୍ରତିଜ୍ଞା ଆବଶ୍ୟକ ଯାହା କେବଳ ଜଣେ ପତି କିମ୍ବା ପତ୍ନୀଙ୍କ ମୃତ୍ୟୁ ପରେ ଶେଷ ହୁଏ (ରୋମୀୟ ୭:୧-୨) ।
ଈଶ୍ୱରଙ୍କ ଉଦ୍ଦେଶ୍ୟ ହେଉଛି ଯେ, ବିବାହ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଜୀବନବ୍ୟାପୀ ଚୁକ୍ତି ହେବା ଆବଶ୍ୟକ (ମାଥିଉ ୧୯:୩-୬) । ପାଉଲ କହିଛନ୍ତି ଯେ ଯେତେବେଳେ ସେମାନଙ୍କର ଅବିଶ୍ୱାସୀ ସ୍ୱାମୀ / ସ୍ତ୍ରୀ ସେମାନଙ୍କଠାରୁ ଅଲଗା ହୁଅନ୍ତି, ସେତେବେଳେ ବିଶ୍ୱାସୀମାନେ ବନ୍ଧନରେ ଆବଦ୍ଧ ନୁହଁନ୍ତି (୧ କରିନ୍ଥୀୟ ୭:୧୫) କିନ୍ତୁ ଜଣେ ବିଶ୍ୱାସୀ ଜଣେ ଅବିଶ୍ୱାସୀ ଦମ୍ପତ୍ତିଙ୍କଠାରୁ ବିଭିନ୍ନ ନ ହେଉ (୧ କରିନ୍ଥୀୟ ୭:୧୨-୧୪, ୧୬) । ପୂର୍ବରୁ ପାଉଲ ଯାହା ଲେଖିଥିଲେ, ଈଶ୍ୱର ସମାନ କଥା କହନ୍ତି : ବିଶ୍ୱାସୀମାନେ ସେମାନଙ୍କର ଦମ୍ପତ୍ତିଙ୍କୁ ପରିତ୍ୟାଗ କରିବା ଉଚିତ ନୁହେଁ, କିନ୍ତୁ ଯଦି ସେମାନେ ତାହା କରନ୍ତି ତେବେ ସେମାନେ ଅନ୍ୟ ଜଣଙ୍କୁ ବିବାହ କରିବା ଉଚିତ ନହେଁ (୧ କରିନ୍ଥୀୟ ୭:୧୦-୧୧, ମାଥିଉ ୫:୩୧-୩୨, ମାଥିଉ ୧୯:୯) ।
ଯେତେବେଳେ ଚୁକ୍ତିବଦ୍ଧ ପ୍ରେମ ସମ୍ପର୍କ କଷ୍ଟକର ହେଲେ ମଧ୍ୟ ଆତ୍ମା-ଦାନକାରୀ, ସମ୍ମାନଜନକ ଏବଂ ସୁନ୍ଦର କରିଥାଏ (୧ କରିନ୍ଥୀୟ ୧୩) ଦୁର୍ବଳ ପ୍ରତିବଦ୍ଧତା ଅସ୍ଥାୟୀ ପ୍ରୟାସ, ଭାବପ୍ରବଣ ବିଚ୍ଛିନ୍ନତା, ପ୍ରତ୍ୟାହାର ଏବଂ ପ୍ରଲୋଭନ ସୃଷ୍ଟି କରେ ।
ଜଣେ ସ୍ୱାମୀ ଯେତେବେଳେ ତାଙ୍କ ସ୍ତ୍ରୀ ପ୍ରତି ପ୍ରତିକ୍ରୀୟାହୀନ, ଅସମ୍ମାନଜନକ, କିମ୍ବା ଅସୁସ୍ଥ ଥିଲେ ମଧ୍ୟ କେବେବି ହାର ମାନି ନ ଥାଏ, ସେତେବେଳେ ସେ ପ୍ରତିଜ୍ଞାବଦ୍ଧ ପ୍ରେମକୁ ପାଳନ କରନ୍ତି । ଜଣେ ସ୍ତ୍ରୀ ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଭଲ ପାଉ ନ ଥିଲେ ମଧ୍ୟ ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ସ୍ୱାମୀଙ୍କୁ ସମ୍ମାନ ଏବଂ ଆଜ୍ଞାପାଳନ କରିବାକୁ ପସନ୍ଦ କରେ, ସେତେବେଳେ ସେ ଚୁକ୍ତିମୂଳକ ପ୍ରେମ ପାଳନ କରେ ।
ସ୍ୱାମୀର ପ୍ରେମ ସ୍ତ୍ରୀର ସମ୍ମାନ ଜିଣେ ଏବଂ ସ୍ତ୍ରୀର ସମ୍ମାନ ସ୍ୱାମୀର ପ୍ରେମକୁ ଜିଣେ ଏବଂ ସେମାନେ ନିୟମିତ ଭାବରେ ବୃଦ୍ଧି ପାଆନ୍ତି ।
► ଯଦି ଲୋକମାନେ ବିବାହରେ ଅସନ୍ତୁଷ୍ଟ ହେଲା ପରେ ସେମାନଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ ବୋଲି ଭାବି ବିବାହ କରନ୍ତି, ତେବେ କ’ଣ ସମସ୍ୟା ହୁଏ? ସମ୍ପୂର୍ଣ୍ଣ ପ୍ରତିବଦ୍ଧତା କ’ଣ ପାର୍ଥକ୍ୟ ସୃଷ୍ଟି କରେ - ଯେତେବେଳେ ଜଣେ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ, ତାଙ୍କ ବିବାହ ସ୍ଥାୟୀ ଅଟେ ?
ବାଇବଲ ଅନୁଯାୟୀ ବିବାହ ସୃଷ୍ଟି ନିମନ୍ତେ ସ୍ଥାନ ଅଟେ : ପ୍ରଜନନ
“ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର’’ (ଗୀତସଂହିତା ୧୨୭:୩) ।
ସନ୍ତାନଗଣ ଈଶ୍ୱରଙ୍କଠାରୁ ଦତ୍ତ ଏକ ପୁରସ୍କାର ଅଟନ୍ତି, କିନ୍ତୁ ଅନ୍ୟ ଅର୍ଥରେ ସେମାନେ ମଧ୍ୟ ପରମେଶ୍ୱରଙ୍କୁ ପିତାମାତାଙ୍କ ଉପହାର । “ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ ? ଆଉ କାହିଁକି ଏକ କଲେ ? ସେ ଈଶ୍ୱରୀୟ ଏକ ବଂଶର ଚେଷ୍ଟା କଲେ । ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ’’ (ମଲାଖି ୨:୧୫) । ଏକ ବିଶ୍ୱାସୀ ସ୍ୱାମୀ ଓ ସ୍ତ୍ରୀଙ୍କର ମିଳନରୁ ଈଶ୍ୱରୀୟ ସନ୍ତାନ ଜାତ ହେଉ ତାହା ଈଶ୍ୱରଙ୍କର ଇଚ୍ଛା ।
କିଛି ଲୋକ ଏପରି ଜୀବନଶୈଳୀ ଅନୁସରଣ କରିବାକୁ ପସନ୍ଦ କରନ୍ତି ଯେଉଁଥିରେ ସନ୍ତାନମାନେ ଅନ୍ତର୍ଭୁକ୍ତ ନ ଥାନ୍ତି, କିନ୍ତୁ ବାଇବଲ ଶିକ୍ଷା ଦିଏ ଯେ, ଯେତେବେଳେ ପିତାମାତାଙ୍କର ଧାର୍ମିକ ସନ୍ତାନ ଥାଆନ୍ତି, ସେତେବେଳେ ଈଶ୍ୱର ଖୁସି ହୁଅନ୍ତି ।
ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, ଈଶ୍ୱର କେବଳ ପ୍ରଜନନ ଚାହାନ୍ତି ନାହିଁ, ବରଂ ଧାର୍ମିକ ସନ୍ତାନ ଚାହାନ୍ତି । ସେମାନଙ୍କର ସନ୍ତାନମାନେ ଖ୍ରୀଷ୍ଟଙ୍କୁ ଅନୁସରଣ କରିବାକୁ ପିତାମାତାଙ୍କୁ ଈଶ୍ୱର ଆହ୍ୱାନ କରିଛନ୍ତି ।
ବାଇବଲ ଅନୁଯାୟୀ ବିବାହ ଖ୍ରୀଷ୍ଟଙ୍କ ନିମନ୍ତେ ଅଟେ
ଏଫିସୀୟ ୫:୩୦-୩୨ରେ ପବିତ୍ର ଆତ୍ମା ବିବାହର ଗଭୀର ଅର୍ଥ ପ୍ରକାଶ କରନ୍ତି, ଯାହା ଯୀଶୁଙ୍କ ଆସିବା ପୂର୍ବରୁ ଲୁକ୍କାୟିତ ଥିଲା । ବିବାହ ଏକ ଜାଗତିକ ଛବି, ଏକ ପ୍ରତିବିମ୍ବ, ଖ୍ରୀଷ୍ଟ ଯୀଶୁ ଏବଂ ତାଙ୍କ ମଣ୍ଡଳୀ ସହିତ ସମ୍ପର୍କ ।
ପାଉଲ ଏହି ବିଭାଗକୁ ବିଶ୍ୱାସୀମାନଙ୍କୁ ଆତ୍ମାରେ ପରିପୂର୍ଣ୍ଣ ହେବାକୁ ଉତ୍ସାହିତ କରି ଆରମ୍ଭ କରନ୍ତି (ଏଫିସୀୟ ୫:୧୮) । ଏହି ପରିପ୍ରେକ୍ଷୀରେ ସେ ବିବାହ ବିଷୟରେ ନିମ୍ନଲିଖିତ ନିର୍ଦ୍ଦେଶ ପ୍ରଦାନ କରନ୍ତି :
ଆତ୍ମା-ପୂର୍ଣ୍ଣ କନ୍ୟା ପ୍ରଭୁଙ୍କଠାରେ ତାଙ୍କ ବର (ତାଙ୍କ “ମସ୍ତକ’’)ର ବଶବର୍ତ୍ତୀ ହେବେ, ଯେପରି ବିଶ୍ୱାସୀମାନେ ଯୀଶୁଙ୍କ ପ୍ରତି ସମର୍ପିତ ହୁଅନ୍ତି, ସେହିପରି (ଏଫିସୀୟ ୫:୨୪, ୩୨, ୧ ପିତର ୩:୧) । ଏହି ପ୍ରକାରେ ସେ ଯୀଶୁଙ୍କୁ ଏବଂ ତା’ର ସ୍ୱାମୀଙ୍କୁ ସମ୍ମାନ ଦିଏ ।
ପ୍ରତ୍ୟେକ ସ୍ତ୍ରୀମାନଙ୍କ ପାଇଁ ତାଙ୍କ ବଶବର୍ତ୍ତୀତାରେ ପ୍ରଭୁଙ୍କୁ ମନେରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ସେ କେବଳ ତାଙ୍କ ସ୍ୱାମୀଙ୍କ ପାଇଁ ନୁହେଁ, ବରଂ ତାଙ୍କ ପ୍ରତି ଏବଂ ତାଙ୍କ ପାଇଁ ସମର୍ପଣ କରନ୍ତି । ତାଙ୍କ ଚକ୍ଷୁ ଯୀଶୁଙ୍କ ଉପରେ ଯିଏ କେବଳ ନିର୍ଦ୍ଦୋଷ ଅଟନ୍ତି । ଜଣେ ସ୍ତ୍ରୀର ତାଙ୍କ ସ୍ୱାମୀଙ୍କ ପ୍ରତି ଇଚ୍ଛା କୃତ ଆତ୍ମ-ସମର୍ପଣ ହେଉଛି ଖ୍ରୀଷ୍ଟଙ୍କ ପ୍ରତି ଉପାସନା ।
ବାଇବଲ ଅନୁଯାୟୀ ସମର୍ପଣ, ଯେପରି ପ୍ରେମ, ବାଧ୍ୟ କରାଯାଇ ନ ପାରେ । ବାଇବଲ ଅନୁଯାୟୀ ସମର୍ପଣ ହେଉଛି ଏକ ଉପହାର ଯାହା ସ୍ତ୍ରୀମାନେ ଖ୍ରୀଷ୍ଟଙ୍କ ପ୍ରତି ଭକ୍ତି ଭାବରୁ ସେମାନଙ୍କ ସ୍ୱାମୀମାନଙ୍କୁ ପ୍ରଦାନ କରନ୍ତି (ଏଫିସୀୟ ୫:୩୩) । ପ୍ରତ୍ୟେକ ବିଷୟରେ ସମର୍ପଣ, ଯୀଶୁଙ୍କ ପ୍ରତି ଉପାସନା କରିବାର ଏକ କାର୍ଯ୍ୟ ଅଟେ ।[3]
ଜଣେ ସ୍ତ୍ରୀର ତାଙ୍କ ସ୍ୱାମୀଙ୍କ ପ୍ରତି ସମର୍ପଣ ଆତ୍ମା ପୂର୍ଣ୍ଣ-ଜୀବନର (ଏଫିସୀୟ ୫:୧୮-୨୧) ଏକ ଅଂଶ ଭାବରେ ତାଙ୍କ ପ୍ରତି ସମ୍ମାନର (ପଦ ୩୩) କାର୍ଯ୍ୟ ଅଟେ । ଏହି ସମ୍ମାନ, ଏକ ନମ୍ର ଏବଂ ଶାନ୍ତ ଆତ୍ମାରୁ ଆସେ, ପରମେଶ୍ୱରଙ୍କ ଦୃଷ୍ଟିରେ ବହୁତ ମୂଲ୍ୟବାନ ଅଟେ (୧ ପିତର ୩:୪-୫) ।
ଆତ୍ମା-ପୂର୍ଣ୍ଣ ବର ତା’ର କନ୍ୟାକୁ ପ୍ରେମ କରିବ ଯେପରି ତାଙ୍କର ମଣ୍ଡଳୀକୁ ଯୀଶୁ ପ୍ରେମ କରନ୍ତି (ଏଫିସୀୟ ୫:୨୫) । ବର ଯେପରି ତା’ର ଶରୀରକୁ ପ୍ରେମ କରେ ସେପରି ତା’ର କନ୍ୟାକୁ ପ୍ରେମ କରିବା ଉଚିତ (ଏଫିସୀୟ ୫:୨୮-୨୯) । ଯେପରି ଯୀଶୁ ତାଙ୍କ ମଣ୍ଡଳୀ ପ୍ରତି ଆତ୍ମା-ପୂର୍ଣ୍ଣ ସ୍ୱୟଂ-ବଳିଦାନ ପ୍ରଦର୍ଶନ କରିଥିଲେ, ଯେତେବେଳେ ତା’ ପାଇଁ ନିଜକୁ ବଳି ଦେଲେ, ବର ମଧ୍ୟ ତା’ର କନ୍ୟା ପ୍ରତି ସେପରି କରିବା ଉଚିତ । ଏହା ତାହାର ସମର୍ପଣର କାର୍ଯ୍ୟ ଅଟେ (ଏଫିସୀୟ ୫:୨୧) । ଜଣେ ଭାଷ୍ୟକାର ଏହାକୁ ଏପରି ବର୍ଣ୍ଣନା କରନ୍ତି:
ମଣ୍ଡଳୀକୁ ଉଦ୍ଧାର କରିବାକୁ କ୍ରୁଶ ଉପରେ ଦୁଃଖଭୋଗ କରିବାକୁ ଯୀଶୁ ଯେପରି ନିଜକୁ ଦାନ କଲେ ସେପରି ଆମେ ନିଜକୁ ଅସ୍ୱୀକାର କରିବା ଏବଂ ଯନ୍ତ୍ରଣା ଓ ପରୀକ୍ଷା ସହ୍ୟ କରିବା ଆବଶ୍ୟକ ଯେପରି ଆମେ ସ୍ତ୍ରୀର ଖୁସିକୁ ପ୍ରୋତ୍ସାହିତ କରିପାରିବା । ତାଙ୍କ ସମର୍ଥନ ପାଇଁ ପରିଶ୍ରମ ସହିବା ସ୍ୱାମୀର କର୍ତ୍ତବ୍ୟ, ତା’ର ଆବଶ୍ୟକତା ଯୋଗାଇବା, ଅସୁସ୍ଥତା ସମୟରେ ତାଙ୍କ ସେବା କରିବା ପାଇଁ, ଆବଶ୍ୟକ ହେଲେ, ନିଜକୁ ବିଶ୍ରାମ ଏବଂ ଆରାମରୁ ବଞ୍ଚିତ କରିବା, ବିପଦରେ ତାଙ୍କ ପୂର୍ବରୁ ଯିବା, ଯଦି ସେ ବିପଦରେ ଅଛନ୍ତି ତେବେ ତାଙ୍କୁ ରକ୍ଷା କରିବା, ଯେତେବେଳେ ସେ ବିରକ୍ତ ହୁଅନ୍ତି ତାଙ୍କୁ ସହ୍ୟ କରିବା, ଯେତେବେଳେ ସେ ଦୂରକୁ ଠେଲି ଦିଅନ୍ତି, ସେତେବେଳେ ତାଙ୍କ ସହିତ ଲାଗି ରହିବା, ଆତ୍ମିକ ସମସ୍ୟା ସମୟରେ ତାଙ୍କ ସହିତ ପ୍ରାର୍ଥନା କରିବା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ମରିବା ନିମନ୍ତେ ପ୍ରସ୍ତୁତ ରହିବା । ଏହା କାହିଁକି ହେବା ଉଚିତ୍ ନୁହେଁ? ଯଦି ଜାହାଜଗୁଡ଼ିକ ଭାଙ୍ଗିଯାଏ ଏବଂ ଗୋଟିଏ ପଟା ଥାଏ ଯାହା ଉପରେ ସୁରକ୍ଷା ସୁରକ୍ଷିତ ହୋଇପାରିବ, ତେବେ ସେ କ’ଣ ତାକୁ ସେହି ପଟ୍ଟା ଉପରେ ରଖିବାକୁ ଏବଂ ନିଜ ପାଇଁ ସମସ୍ତ ବିପଦରେ ସ୍ତ୍ରୀକୁ ସୁରକ୍ଷିତ ଦେଖିବାକୁ ଇଚ୍ଛୁକ ହେବା ଉଚିତ ନୁହେଁ କି ? କିନ୍ତୁ ତା’ଠାରୁ ଅଧିକ ଅଛି ... ଜଣେ ସ୍ୱାମୀଙ୍କୁ ଅନୁଭବ କରିବା ଆବଶ୍ୟକ ଯେ, ତାଙ୍କ ସ୍ତ୍ରୀଙ୍କ ପରିତ୍ରାଣ ପାଇବା ତାଙ୍କ ଜୀବନର ଏକମାତ୍ର ମହାନ ଉଦ୍ଦେଶ୍ୟ ହେବା ଉଚିତ । ତାଙ୍କ ଆତ୍ମା ପାଇଁ ଯାହା ଆବଶ୍ୟକ ତାହା ଯୋଗାଇବାକୁ ପଡ଼ିବ ... ଏବଂ ତାହାଙ୍କୁ (ସ୍ୱାମୀଙ୍କୁ) ଦୃଷ୍ଟାନ୍ତ ସ୍ଥାପନ କରିବାକୁ ହେବ, ଯଦି ତାଙ୍କୁ ପରାମର୍ଶର ଆବଶ୍ୟକତା ଅଛି, ତେବେ ତାଙ୍କୁ ପରାମର୍ଶ ଦେବେ, ଯଥା ସମ୍ଭବ ତାଙ୍କର ପରିତ୍ରାଣର ପଥକୁ ସହଜ କରିବେ । ଯଦି ଜଣେ ସ୍ୱାମୀଙ୍କ ମନରେ ତ୍ରାଣକର୍ତ୍ତାଙ୍କ ଆତ୍ମା ଏବଂ ଆତ୍ମ-ଅସ୍ୱୀକାର ଅଛି, ତେବେ ସେ ତାଙ୍କ ପରିବାରର ମୁକ୍ତିକୁ ପ୍ରୋତ୍ସାହିତ କରିପାରିଲେ କୌଣସି ବଳିଦାନକୁ ବହୁତ ବଡ଼ ମନେ କରିବେ ନାହିଁ । [4]
ଖ୍ରୀଷ୍ଟ ତାଙ୍କ କନ୍ୟା, ମଣ୍ଡଳୀକୁ ଯେପରି ପବିତ୍ର କରନ୍ତି, ସେହିପରି ବର ତାଙ୍କ କନ୍ୟାର ପବିତ୍ରତା ଖୋଜିବା ଉଚିତ, “ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି ’’ (ଏଫିସୀୟ ୫:୨୬-୨୭) ।
ପ୍ରାଚୀନ କାଳରେ ରାଜାମାନଙ୍କ ବଧୂମାନଙ୍କୁ ମହଙ୍ଗା ଚିକିତ୍ସା ଦ୍ୱାରା ଶାରୀରିକ ଭାବରେ ଶୁଦ୍ଧ କରାଯାଉଥିଲା, —“ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା” (ଏଷ୍ଟର ୨:୧୨ ଦେଖନ୍ତୁ)। ଏହିପରି ଭାବରେ ଜଣେ କୁମାରୀ ତା’ର ସ୍ୱାମୀ ପାଇଁ ପ୍ରସ୍ତୁତ ହେଉଥିଲା ।
ଆଧ୍ୟାତ୍ମିକ ଅର୍ଥରେ, ସ୍ୱାମୀ ତାଙ୍କ ସ୍ତ୍ରୀର ଉନ୍ନତି ପାଇଁ ଆବଶ୍ୟକ ସମସ୍ତ ଉପାୟ ଯୋଗାଇବା ଉଚିତ - ବିଶ୍ୱସ୍ତତା, ନିଃସର୍ତ୍ତ ପ୍ରେମ, ବୁଝାମଣା, ପ୍ରାର୍ଥନା, ପରାମଶ୍ର ଶିକ୍ଷା ଏବଂ ଅନୁକମ୍ପା ।
ଯେତେବେଳେ ସ୍ୱାମୀ ତା’ର ସ୍ତ୍ରୀକୁ ଏହିପରି ପ୍ରେମ କରେ, ତାଙ୍କୁ ଖୁସିରେ ପରିଶୋଧ କରାଯିବ । ପାଉଲ କହନ୍ତି, “ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ’’ (ଏଫିସୀୟ ୫:୨୮) । ଯେଉଁ ସ୍ୱାମୀମାନେ ନିଜ ସ୍ତ୍ରୀମାନଙ୍କୁ ଏହି ଆତ୍ମ-ତ୍ୟାଗୀ ଉପାୟରେ ଭଲ ପାଆନ୍ତି, ସମ୍ଭବତଃ ତାଙ୍କ ସ୍ତ୍ରୀଙ୍କ ସମ୍ମାନ, ସ୍ନେହ ଏବଂ ବିଶ୍ୱସ୍ତତା ଦ୍ୱାରା ସେମାନେ ପ୍ରଭୁଙ୍କଠାରୁ ଅଧିକ ପରିଶୋଧ ପାଇବେ ।
► ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଆଧ୍ୟାତ୍ମିକ ସମର୍ଥନ ଯୋଗାଇବା ପାଇଁ କ’ଣ ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରିବା ଉଚିତ?
[2] Matthew Henry’s Commentary on the Whole Bible
[3] ବାଇବଲଗତ ସମର୍ପଣ ବିଷୟରେ ଅଧିକ ଅଧ୍ୟୟନ ପାଇଁ “
Spiritual Formation ” ପାଠ ୧୦ ଦେଖନ୍ତୁ, ଯାହା Shepherds Global Classroomରେ ଉପଲବ୍ଧ ଅଛି।
[4] Albert Barnes,
Commentary on Ephesians (୫ ପର୍ବ)
Previous
Next