► ବିଶ୍ୱାସୀମାନଙ୍କ ମଧ୍ୟରେ, ବିଶେଷ କରି ସେମାନେ କ’ଣ କରନ୍ତି ଏବଂ କ’ଣ କରନ୍ତି ନାହିଁ, ସେ ବିଷୟରେ ବ୍ୟବହାରିକ ପ୍ରଶ୍ନରେ, ଆପଣ କେବେ ପାର୍ଥକ୍ୟ ଦେଖିଛନ୍ତି କି? ଯେତେବେଳେ ସେମାନେ ସମାନ ବାଇବଲ ବ୍ୟବହାର କରୁଛନ୍ତି, ତେବେ କାହିଁକି ଏହି ପାର୍ଥକ୍ୟ ? ବିଶ୍ୱାସୀମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ଥିବାରୁ, ଆମେ କ’ଣ କରୁ ତାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ କି ? କାହିଁକି ?
ବାଇବଲର ନୀତି ଏବଂ ମୂଲ୍ୟବୋଧଗୁଡ଼ିକୁ କିପରି ପାଳନ କରିବେ ସେ ବିଷୟରେ ସମସ୍ତ ବିଶ୍ୱାସୀମାନେ ଏକମତ ନୁହଁନ୍ତି । ତଥାପି ଖ୍ରୀଷ୍ଟଙ୍କ ଜଣେ ଅନୁଗାମୀ ତାଙ୍କ ବିଶ୍ୱାସ ସହିତ ସ୍ଥିର ଜୀବନଯାପନ କରିବା ବିଷୟରେ ଗମ୍ଭୀର ହେବା ଉଚିତ ।
ଆଚରଣ, ମନୋରଞ୍ଜନର ପସନ୍ଦ ଏବଂ ପୋଷାକ ସବୁକିଛି ହୃଦୟର ଆଗ୍ରହ ବିଷୟରେ କିଛି ଦର୍ଶାଏ ।
ପ୍ରତ୍ୟେକ ବିଶ୍ୱାସୀ ଯେତେବେଳେ ନିର୍ଦ୍ଦିଷ୍ଟ ଜୀବନଶୈଳୀ ସମସ୍ୟାରେ କ’ଣ ସର୍ବୋତ୍ତମ ତାହା ବୁଝିବାକୁ ଚେଷ୍ଟା କରେ, ସେତେବେଳେ ଏଠାରେ କିଛି ନୀତିଗୁଡ଼ିକ ଅଛି ଯାହାକୁ ମନେରଖିବା ଉଚିତ୍ ।
ଜୀବନଶୈଳୀ ନିଷ୍ପତ୍ତି ପାଇଁ ନୀତିଗୁଡ଼ିକ :
(୧) ବିଶ୍ୱାସୀମାନଙ୍କ ପ୍ରତି ବାଇବଲର ସମସ୍ତ ଆଜ୍ଞାଗୁଡ଼ିକ ଆମେ ପାଳନ କରିବା ଆବଶ୍ୟକ ।
ମାଥିଉ ୫:୧୯ରେ ଯୀଶୁ କହିଲେ :
“ଅତଏବ, ଯେକେହି ଏହିସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ଖ୍ୟାତ ହେବ, କିନ୍ତୁ ଯେକେହି ସେହିସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ବୋଲି ଖ୍ୟାତ ହେବ ।’’
ଆମେ କେବଳ ସେହି ବିନ୍ଦୁକୁ ବାଛିପାରିବା ନାହିଁ ଯାହାକୁ ଆମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁ । ଶାସ୍ତ୍ରର କୌଣସି ଆଦେଶ ଅଣ ଦେଖା କରିବା ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
(୨) ଈଶ୍ୱରଙ୍କ ଆଜ୍ଞାଗୁଡ଼ିକ ଆମର ଲାଭ ପାଇଁ ଅଟେ ।
ଦ୍ଵିତୀୟ ବିବରଣ ୧୦:୧୨-୧୩,
“ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର, ଆଉ ଆଜି ମୁଁ ତୁମ୍ଭ ହିତ ନିମନ୍ତେ ସଦାପ୍ରଭୁଙ୍କ ଯେ ଯେ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଲୋଡ଼ନ୍ତି?’’
ଗୀତସଂହିତା ୮୪:୧୧,
କାରଣ ସଦାପ୍ରଭୁ ପରମେଶ୍ଵର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।
ଈଶ୍ୱର ଆମଠାରୁ କୌଣସି ଭଲ ବିଷୟ ଲୁଚାଇ ରଖନ୍ତି ନାହିଁ, କିମ୍ବା ଆମପାଇଁ କ୍ଷତିକାରକ ବିଷୟ ଆଜ୍ଞା ଦିଅନ୍ତି ନାହିଁ । ତାଙ୍କର ପ୍ରତିବନ୍ଧକ ବିନା ଆମର ଜୀବନ ଭଲ ଏବଂ ସୁଖୀ ହୋଇପାରିବ ନାହିଁ। ତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିବା ହେଉଛି ତାଙ୍କ ଜ୍ଞାନ ଏବଂ ପ୍ରେମ ଉପରେ ସନ୍ଦେହ କରିବା । ଯେତେବେଳେ ଆମେ ମାନବୀୟ ଜ୍ଞାନ ଅନୁସରଣ କରିବା ପରିବର୍ତ୍ତେ ତାଙ୍କ ବାକ୍ୟର ନିର୍ଦ୍ଦେଶାବଳୀ ପାଳନ କରୁ, ସେତେବେଳେ ଆମେ ପ୍ରମାଣିତ କରୁ ଯେ, ଆମର ପ୍ରକୃତରେ ଈଶ୍ୱରଙ୍କ ମଙ୍ଗଳ ଏବଂ ଜ୍ଞାନରେ ବିଶ୍ୱାସ ଅଛି ।
(୩) ଖ୍ରୀଷ୍ଟିଆନ ସ୍ୱାଧିନତା ଈଶ୍ୱରଙ୍କ ଆଜ୍ଞା ପାଳନରୁ ସ୍ୱାଧିନତା ନୁହେଁ ।
୧ କରିନ୍ଥୀୟ ୯:୨୧ରେ ପାଉଲ ଏହା ବିଶ୍ୱାସୀମାନଙ୍କ ନିକଟକୁ ଲେଖନ୍ତି :
“ଯେପରି ମୁଁ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଈଶ୍ୱରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥାବିହୀନ ପରି ହେଲି ।’’
ଧାର୍ମିକତାର ଏକ ଉପାୟ ଭାବରେ ଆମେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ - ଉଭୟ ମୋଶା ବ୍ୟବସ୍ଥା ଏବଂ ପରମେଶ୍ୱରଙ୍କ ନୈତିକ ଆବଶ୍ୟକତା - ଧାର୍ମିକତାର ଏକ ଉପାୟ ଭାବରେ, କାରଣ ଆମେ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଛୁ ଏବଂ ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ନୁହେଁ। ଆମ୍ଭର ପାପ କ୍ଷମା ହୋଇଯାଇଥିବାରୁ ଆମ୍ଭେ ବ୍ୟବସ୍ଥାର ଦଣ୍ଡରୁ ମଧ୍ୟ ମୁକ୍ତ ହୋଇଅଛୁ ।
ତଥାପି ଆମେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବାର ଆବଶ୍ୟକତା କିମ୍ବା ପ୍ରେମର ବାଧ୍ୟବାଧକତାରୁ ମୁକ୍ତ ନୋହୁଁ । “କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ଵାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ଵାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ଵରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପର ଦାସ ହୁଅ” (ଗାଲାତୀୟ ୫:୧୩)। ଯେପରି ୧ କରିନ୍ଥୀୟ ୯:୨୧ ଦର୍ଶାଏ, ଆମେ ପରମେଶ୍ୱରଙ୍କ ଅଧିନରେ ଅଛୁ । ଆମ ପାଇଁ ତାଙ୍କର ଇଚ୍ଛା ବାଇବଲରେ ପ୍ରକାଶିତ ହୋଇଛି ।
କିଛି ଲୋକ ଭୁଲ୍ ଭାବରେ ବିଶ୍ୱାସ କରନ୍ତି ଯେ, ପାପରୁ କ୍ଷମା ପାଇଁ କିମ୍ବା ଆଧ୍ୟାତ୍ମିକତାକୁ ପରିପକ୍ୱ କରିବାର ଏକ ଉପାୟ ଭାବରେ ସେମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞାପାଳନ କରିବାକୁ ପଡ଼ିବ । ସତ୍ୟ ଏହା ଯେ, ଆମ୍ଭେମାନେ ବ୍ୟବସ୍ଥା ଦ୍ୱାରା ନୁହେଁ ବରଂ ବିଶ୍ୱାସ ମାଧ୍ୟମରେ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ (ଏଫିସୀୟ ୨:୮-୯) ।
ଯଦିଚ ଆମର କାର୍ଯ୍ୟ ହେତୁ ଆମେ ଧାର୍ମିକ ହୋଇନାହୁଁ, ତେଣୁ ଆମେ ଆମ ଜୀବନର ସମସ୍ତ ବିଷୟରେ ଈଶ୍ୱରଙ୍କୁ ମାନିବା ଉଚିତ, କାରଣ ଆମ୍ଭେମାନେ ତାହାଙ୍କ ସହିତ ଧାର୍ମିକ ଗଣିତ ହୋଇଅଛୁ । “ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ’’ (ରୋମୀୟ ୬:୧୮) ।
ଯେହେତୁ ଆମେ ଈଶ୍ୱରଙ୍କୁ ପ୍ରେମ କରୁ ଏବଂ ତାଙ୍କ ଅନୁଗ୍ରହ ପାଇଁ କୃତଜ୍ଞ ଅଟୁ, ତେଣୁ ଆମେ ଆନନ୍ଦରେ ତାଙ୍କ ଆଜ୍ଞା ପାଳନ କରୁ (୧ ଯୋହନ ୫:୩) । ଧାର୍ମିକ ଗଣିତ ବ୍ୟକ୍ତିମାନଙ୍କର ଆଜ୍ଞାପାଳନ ତାଙ୍କ ପ୍ରତି ପ୍ରେମର ପ୍ରମାଣ (ଯୋହନ ୧୪:୧୫) ।
(୪) ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରୁ, ତାଙ୍କର ଇଚ୍ଛାକୁ ଅଣଦେଖା ନ କରି ଆମେ ଜାଣିବାକୁ ଇଚ୍ଛା କରୁ ।
୧ ଯୋହନ ୫:୨-୩ କହେ,
“ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ । କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।’’
ଯିରିମିୟ ୩୧:୩୩ କହେ, “ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ-ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ।’’
ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କୁ ପ୍ରେମ କରେ ପ୍ରଥମେ ପ୍ରଶ୍ନ କରିବ ନାହିଁ, “ଏହା କରିଥିବାରୁ ଈଶ୍ୱର କ’ଣ ମୋତେ ଦଣ୍ଡ ଦେବେ ?’’ କିନ୍ତୁ, “କେଉଁଥିରେ ଈଶ୍ୱର ଅଧିକ ସନ୍ତୁଷ୍ଟ ହେବେ ?’’ କିମ୍ବା “ସବୁଠାରୁ ଉତ୍କୃଷ୍ଟ ବିଷୟ କ’ଣ ?’’ (ଫିଲିପ୍ପୀୟ ୧:୧୦, ତୀତସ ୩:୮) ।
(୫) ଶାସ୍ତ୍ର ଆମ ଜୀବନ ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥାପନ କରିବାର ଏକ ଆଧାର ପ୍ରଦାନ କରେ ।
ବାଇବଲ କେବଳ ସାଧାରଣ ନିୟମ ପ୍ରଦାନ କରେ ନାହିଁ । କିଛି ଅଂଶ ଦିଆଯାଇଥିବା କାର୍ଯ୍ୟ ୨ରେ ତାଲିକାଭୁକ୍ତ ହୋଇଛି, ଯାହା ସତର୍କତାର ସହ ଖ୍ରୀଷ୍ଟିୟାନ ଜୀବନଯାପନ ପାଇଁ ଏକ ଆଧାର ପ୍ରଦାନ କରେ । ସେଥିମଧ୍ୟରୁ କିଛି ଖ୍ରୀଷ୍ଟିୟାନ ଜୀବନଶୈଳୀ ପାଇଁ ନିର୍ଦ୍ଦିଷ୍ଟ ଦିଗଦର୍ଶନ ପ୍ରଦାନ କରନ୍ତି ।
(୬) ଜୀବନର ବିବରଣୀ ବିଷୟରେ ନିୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ ନୁହେଁ ।
ଫାରୂଶୀମାନେ ଛୋଟ ଚୋଟ ବିଷୟ ଉପରେ ସର୍ବାଧିକ ଗୁରୁତ୍ୱ ଦେବାରେ ଭୁଲ୍ କରିଥିଲେ । ମାଥିଉ ୨୩:୨୩ରେ ଯୀଶୁ ସେମାନଙ୍କୁ କହିଲେ,
“ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ ।’’
ଏହି ପଦ କହୁନାହିଁ ଯେ, ଏପରି କୌଣସି ସତ୍ୟ ଅଛି ଯାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଏହା କହେ ଯେ, କିଛି ବିଷୟ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଧିକ ଚିନ୍ତିତ ହେବା ଉଚିତ ।
(୭) ଈଶ୍ୱରଙ୍କ ପ୍ରତି ଆମର ଆଜ୍ଞାପାଳନ କିମ୍ବା ପ୍ରେମକୁ ପ୍ରମାଣ କରିବା ପାଇଁ ନିୟମ ପାଳନ ଯଥେଷ୍ଟ ନୁହେଁ ।
ଫାରୂଶୀମାନଙ୍କ ସହିତ ସମାନ ଆଲୋଚନାରେ ଯୀଶୁ କହିଲେ,
“ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ’’ (ମାଥିଉ ୨୩:୨୫) ।’’
ଜଣେ ବ୍ୟକ୍ତି ହୁଏତ ଏକ ନିୟମନିଷ୍ଠ ସଠିକ୍ ଜୀବନଯାପନ କରି ଈଶ୍ୱରଙ୍କୁ ପ୍ରେମ କରୁ ନ ଥାଏ, ଏପରିକି ସେ ତାଙ୍କ ଆଜ୍ଞାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିପାରେ । ଅନ୍ୟ ପକ୍ଷରେ ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ପୂର୍ଣ୍ଣ ହୃଦୟରେ ପ୍ରେମ କରିପାରେ ଏବଂ ତଥାପି କିଛି ଆଦର୍ଶ ନିମନ୍ତେ କାରଣ ଦେଖିପାରେ ନାହିଁ । ତେଣୁ ଜଣେ ନିୟମରେ ଜୀବନ କାଟୁଥିବା ବ୍ୟକ୍ତି ଯେ ଅଧିକ ଆତ୍ମିକ ତାହା ଜରୁରୀ ନୁହେଁ ।
(୮) ଅନ୍ୟମାନଙ୍କ ସାକ୍ଷ୍ୟ ଉପରେ ଆମର ବିଶ୍ୱାସ ସେମାନଙ୍କର ଜୀବନଶୈଳୀର ଛୋଟ ଛୋଟ ବିବରଣୀ ଉପରେ ନିର୍ଭର କରେ ନାହିଁ ।
ରୋମୀୟ ୧୪:୧୦ରେ ପାଉଲ ବିଶ୍ୱାସୀମାନଙ୍କୁ ପଚାରନ୍ତି,
“କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ ? ଆମ୍ଭେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରାସନ ଛାମୁରେ ଠିଆ ହେବା ।’’
ଏହି ପଦଟି ବ୍ୟବହାରିକ ପ୍ରସଙ୍ଗରେ ବିଶ୍ୱାସୀମାନଙ୍କର ବିଭିନ୍ନ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରୁଥିବା ଏକ ଅଂଶ ଭାବରେ ଆସିଛି । ଖ୍ରୀଷ୍ଟଙ୍କ ଜଣେ ଅନୁଗାମୀ କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ସେ ବିଷୟରେ ପ୍ରାୟତଃ ଆନ୍ତରିକ ମତଭେଦ ଥାଏ ।
ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ରାଂଶର ଆମର ଅନୁବାଦ ସହିତ ଅନ୍ୟ ବିଶ୍ୱାସୀ ଏକମତ ହୋଇ ନ ପାରେ କିମ୍ବା ଆମେ ପ୍ରତ୍ୟାଖ୍ୟାନ କରିଥିବା ବିଷୟ ସେ କ୍ଷତିକାରକ ବୋଲି ମନେ କରି ନ ପାରେ । ହୁଏତ ପରମେଶ୍ୱର ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ କାମ କରୁଛନ୍ତି କିମ୍ବା ଈଶ୍ୱର ତାଙ୍କୁ ଏକ ଭିନ୍ନ ସଂସ୍କୃତି ପରିପ୍ରେକ୍ଷୀରେ ରଖିଛନ୍ତି । ତା’ର ଅର୍ଥ ନୁହେଁ ଯେ, ସେହି ବ୍ୟକ୍ତି ଜଣେ ପ୍ରକୃତ ବିଶ୍ୱାସୀ ନୁହଁନ୍ତି ।
► ଆପଣ ଏହି ବକ୍ତବ୍ୟ ବିଷୟରେ କ’ର ଭାବୁଛନ୍ତି, “ଜଣେ କିପରି ଜୀବନ କାଟିବା ଉଚିତ, ସେ ବିଷୟରେ ଈଶ୍ୱର ପ୍ରତ୍ୟେକଙ୍କୁ ସତ୍ୟ ଜଣାଇବେ, ଅତଏବ, ପ୍ରତ୍ୟେକ ବିଶ୍ୱାସୀମାନେ ସମାନ ଭାବରେ ଅଭ୍ୟାସ କରିବା ଉଚିତ ।’’
ଖ୍ରୀଷ୍ଟଙ୍କ ଅନୁଗାମୀମାନେ ଜୀବନର ସମସ୍ତ ଅଭ୍ୟାସ ବିଷୟରେ କଦାପି ସହମତି ପ୍ରକାଶ କରିନାହାନ୍ତି । ଲୋକମାନେ ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ଏବଂ ଈଶ୍ୱରୀୟ ଜୀବନ କାଟନ୍ତି, ସମସ୍ତେ ଅଭ୍ୟାସ ଏବଂ ସିଦ୍ଧାନ୍ତର ବିବରଣୀ ବିଷୟରେ ସହମତ ନୁହଁନ୍ତି । ଆମର ଏହା କହିବା ଭୁଲ୍ ଅଟେ ଯେ, ସେମାନେ ଅନ୍ୟମାନେ ବିଶ୍ୱାସୀ ନୁହନ୍ତି କାରଣ ସେମାନେ ଶାସ୍ତ୍ରକୁ ଭିନ୍ନ ଭାବରେ ତର୍ଜ୍ଜମା କିମ୍ବା ବ୍ୟବହାର କରୁଛନ୍ତି । ଯଦିଓ ଆମେ ଭାବୁଛୁ ଯେ, ସେମାନଙ୍କ ମତ ଭୁଲ୍ ତଥାପି ଆମେ ସେମାନଙ୍କୁ ସଚ୍ଚୋଟ ବିଶ୍ୱାସୀ ଭାବରେ ଗ୍ରହଣ କରିପାରିବା । ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସମସ୍ତ ବିଶ୍ୱାସୀମାନଙ୍କୁ ସମାନ ଜୀବନଶୈଳୀ ପ୍ରଦାନ କରନ୍ତି ନାହିଁ ।
ଆମ୍ଭେମାନେ ମଧ୍ୟ ଅନ୍ୟ ବିଶ୍ୱାସୀମାନଙ୍କ ଦୃଷ୍ଟିକୋଣରୁ ଶିଖିବାକୁ ପ୍ରସ୍ତୁତ ରହିବା ଉଚିତ । ଗର୍ବ ମୋତେ ଭାବିବାକୁ ବାଧ୍ୟ କରେ ଯେ, ମୁଁ ସର୍ବଦା ଶାସ୍ତ୍ରକୁ ସଠିକ୍ ଭାବରେ ବ୍ୟାଖ୍ୟା କରେ କିମ୍ବା ପ୍ରୟୋଗ କରେ । କିନ୍ତୁ ଏକ ନମ୍ର ଶିକ୍ଷଣୀୟ, ଗ୍ରହଣୀୟ ଆତ୍ମା ଖ୍ରୀଷ୍ଟିୟ ଏକତାକୁ ବୃଦ୍ଧି କରେ ଏବଂ ଖ୍ରୀଷ୍ଟଙ୍କ ଶରୀରକୁ ଗଢ଼ି ତୋଳେ ।
(୯) ବିଭିନ୍ନ ମତାମତ ପ୍ରତି ସହନଶୀଳତା ବ୍ୟକ୍ତିଗତ ଅସାବଧାନକାକୁ କ୍ଷମା କରେ ନାହିଁ ।
“ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ’’ (ରୋମୀୟ ୧୪:୫) ।
“କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ତନୀୟ ହୁଏ, କାରଣ ସେ ବିଶ୍ଵାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ଵାସରୁ ହୁଏ ନାହିଁ, ତାହା ପାପ” (ରୋମୀୟ ୧୪:୨୩) ।
ଯେତେବେଳେ ଜଣେ ନିଜ ବିବେକକୁ ଉଲଂଘନ କରେ, ସେତେବେଳେ ବିପର୍ଯ୍ୟୟଜନକ ଫଳାଫଳ ଆସିବ । ଯଦି ଜଣେ ବ୍ୟକ୍ତି ଏପରି କିଛି କରିବାକୁ ନିଷ୍ପତ୍ତି ନିଏ ଯାହାକୁ ସେ ଭୁଲ୍ ବୋଲି ଭାବେ, ତେବେ ସେ ପାପର ଦୋଷୀ । ଈଶ୍ୱର ଦେଇଥିବା ଆଲୋକରେ ଚାଲିଲେ ଆଶୀର୍ବାଦ ମଳିଥାଏ (୧ ଯୋହନ ୧:୭) ।
Previous
Next